Unknown

 

 

 

 

 

 

 

 

 

ଫୁଲଡଲା

ଚିନ୍ତାମଣି ମହାନ୍ତି

 

ସୂଚୀ

 

ଆଗମନୀ

ଆବାହନ

ମଙ୍ଗଳ ସଙ୍ଗୀତ

ଅଭିନନ୍ଦନ

ଗଞ୍ଜାମମାତାର ଆଶୀର୍ବାଣୀ

ପ୍ରକୃତି-ପୁରୁଷ ସମର

ସୀତା

ବୁରଝାଞ୍ଜି

ନବାବଙ୍କ ନାତି

୧୦

ରେଲଗାଡ଼ି

୧୧

ତପ୍ତଶ୍ୱାସ

୧୨

ଉତ୍କଳ-ବିଳାପ

୧୩

ଅଶ୍ରୁପାତ

୧୪

ଗ୍ରୀଷ୍ମପ୍ରଭାତରେ ବର୍ଷା

 

 

ଆଗମନୀ

(ମହାମାନ୍ୟ ସମ୍ରାଟ୍‌ ପଞ୍ଚମ ଜର୍ଜ ଏବଂ ସମ୍ରାଜ୍ଞୀ ମେରୀଙ୍କ ଭାରତାଗମନୋପଲକ୍ଷେ)

 

ସ୍ୱାଗତ ସମ୍ରାଟ ସାମ୍ରାଜ୍ଞୀ ଉଭୟ,

ଏ ଦୀନ ଭାରତେ ହୋଇଣସଦୟ ।

ସଜାଡିଛୁଁ ସର୍ବେ ଦିବ୍ୟ ଅର୍ଘ୍ୟସ୍ଥାଳୀ,

ଥୋଇଅଛୁଁ ତହିଁ ଭକ୍ତି-ଦୀପ ଜାଳି ।

 

ପ୍ରୀତି-ପାରିଜାତ ଆନନ୍ଦ-ଚନ୍ଦନ,

ବିନୟ-ସୁଦୂର୍ବା କରିଛୁଁ ସ୍ଥାପନ ।

କୃତଜ୍ଞତା ତହିଁ ବଦରୀ ପଲ୍ଲବ,

ଶ୍ରଦ୍ଧା ଧୂପ, ପୂତ ଅକ୍ଷତ ଗୌରବ ।

 

ଶାନ୍ତି-ସ୍ୱର୍ଣ୍ଣେ ମଣ୍ତି ହୃଦ-ସିଂହାସନ,

ଚାହିଁଅଛୁ ତବ ଶୁଭ ଆଗମନ ।

ଭକ୍ତ ପ୍ରଜା ସର୍ବେ ଅଟୁଁ ହେ ତୁମ୍ଭର,

ଦେବ-ବ୍ୟବହାରେ ପୂଜିବୁଁ ପୟର ।

 

ପାର୍ଥିବ ସମ୍ପଦେ ସିନା ଆମ୍ଭେ ଦୀନ,

ମାତ୍ର ନୋହୁଁ କେବେ ଭକ୍ତି-ଧନେ ହୀନ ।

ରାଜଭକ୍ତି ଆମ୍ଭ ଜୀବନ-ଜୀବିକା,

ଯୁଗେ ଯୁଗେ ଆମ୍ଭେ ରାଜପଦେ ବିକା ।

 

ଧର୍ମର ଦାୟାଦ କିଏ ତୁମ୍ଭ ସରି,

ଆମ୍ଭେ ରାଜଭକ୍ତି ଦାୟାଦ ସେପରି ।

ରାଜା ଆମ୍ଭ ସ୍ୱର୍ଗ, ଜାଗ୍ରତ ଦେବତା,

ରାଜା ଧର୍ମ, ରାଜା ତୀର୍ଥହିଁ ସର୍ବଥା ।

 

ରାଜସେବା ଆମ୍ଭ ଚୌବର୍ଗଦାୟିନୀ,

ବିନା ପଣେ ନିଏ ଆମ୍ଭଙ୍କୁ ସେ କିଣି ।

ଆସ ଆସ ଶୁଭେ ହେ ରାଜଦମ୍ପତି,

ଭାରତ-ଭରସା ନୟନ-ସମ୍ପତ୍ତି ।

 

ଅର୍ଦ୍ଧଜଗତର ଶାସକ ପାଳକ,

ବ୍ରିଟେନ-ହୃଦୟ-କୌସ୍ତୁଭ-ପଦକ ।

ହେ ସମ୍ରାଟ ଦେବ, ହେ ସମ୍ରାଜ୍ଞୀ ଦେବି,

ଧନ୍ୟ ହେବୁଁ ଆମ୍ଭେ ତବ ପଦ ସେବି ।

 

ସପ୍ତ ରତ୍ନାକର ତବ ଗନ୍ତାଘର,

କି ଦେଇ ତୋଷିବୁଁ ମାନସ ତୁମ୍ଭର ।

କିଛି ନାହିଁ, ଅଛି ଭକ୍ତି ଅଶ୍ରୁଜଳ,

ସେହି ଏକା ଆମ୍ଭ ଜୀବନ ସମ୍ବଳ ।

 

ଧୋଇଦେବୁଁ ତହିଁ ତବ ପଦ୍ମପାଦ,

ମେଣ୍ଟିଯିବ ଆମ୍ଭ ଚିର ମନସାଧ ।

ଜଗତରେ ଯାହା ମହାମୂଲ୍ୟବାନ,

ଠୁଳ କଲେ ତୁଳପାତ୍ରରେ ସମାନ,

 

ଭକ୍ତି ତୁଳନାରେ ସେ ସିନା ଅଲଣା,

ଶ୍ରୀ ଛାମୁରେ ଏହା ନାହିଁ ତ ଅଜଣା ।

ସେହି ପୂତ ଭକ୍ତି ଢାଳିବୁଁ ପୟରେ,

ହେ ନୃପଦମ୍ପତି ବିଜେ କର ଖରେ ।

 

ଧରିଣ ତୁମ୍ଭଙ୍କୁ ବକ୍ଷେ ଏ ଭାରତ,

ସ୍ୱର୍ଗୀୟ ସମ୍ପଦେ ମଣୁ କରଗତ ।

ସୁର-ଦୁଃଖହର-ବାଞ୍ଛାବଟ ପ୍ରାୟେ,

ଖଣ୍ତ ତାର ଦୁଃଖ ହେ ସମ୍ରାଜ୍ଞି ରାୟେ ।

 

ତବ ଅଭିଷେକ ରାଜସୂୟ ଯାଗ,

ଦର୍ଶନ ଆଶୟେ ବହି ଅନୁରାଗ,

ସମୁଦ୍‌ଗ୍ରୀବ ରାଜା ପରଜାନିକର,

ଗଣୁଛନ୍ତି ବସି ସେ ଶୁଭ ବାସର ।

 

କରୁଛନ୍ତି ସ୍ତୁତି ନିତି ସୁରସୁତେ,

ଚଳାଇବା ପାଇଁ ସୂର୍ଯ୍ୟରଥେ ଦ୍ରୁତେ ।

ହେଉ ସନ୍ନିକଟ ସେ ଶୁଭ ଦିବସ,

ସବୁରି କେବଳ ସିନା ଏ ମନାସ ।

 

ଭାରତ ଉତ୍ତର ପ୍ରହରୀ ପ୍ରଚଣ୍ତ,

ଭାରତ ଗୌରବ-କୀର୍ତ୍ତି-ମାନଦଣ୍ତ,

ହିମଗିରି, ଶୁଭ ଉତ୍ସବ ଦର୍ଶନ,

ଆଶୟରେ ଉଭା ତୋଳି ଅପଘନ ।

 

ଚିର ହିମ-ଶୀତ ଶାଶ୍ୱତ ଶିଖରେ,

ଆଜହୁଁ ଅମରେ ମେଘ-ମଣ୍ତପରେ,

ରାଜନ୍ତି ଦେଖିବା ଇଚ୍ଛାରେ ଉତ୍ସବ,

ମର୍ତ୍ତ୍ୟ-ମଘବାଙ୍କ ପ୍ରଭାବ ବିଭବ ।

 

ନର୍ମଦା, କାବେରୀ, ଗଙ୍ଗା, ଗୋଦାବରୀ,

ଚିତ୍ରୋତ୍ପଳା ଆଦି ନଦୀକୁଳେଶ୍ୱରୀ,

ଡାକୁଛନ୍ତି ଅଳି କରି କଳକଳେ,

ବିଜେ କର ରାଜଦମ୍ପତି ଚଞ୍ଚଳେ ।

 

ଗୁହାମୁଖେ ସହ୍ୟ ବିନ୍ଧ୍ୟେ ଡାକି କହେ,

ନିକଟ ଉତ୍ସବ ଉଠ ହେ ଉଠ ହେ ।

ପୁଷ୍କର ଚିଲିକା ହୋଇ ପୁଲକିତ,

ଗାଉଛନ୍ତି ତବ ଆଗମନୀ ଗୀତ ।

 

ଗାଏ ମହୋଦଧି ଗାଏ ରତ୍ନାକର,

ନାଚି ନାଚି ଉଚ୍ଚେ ତୋଳି ବୀଚି-କର ।

ତୁମ୍ଭଙ୍କୁ ପାଛୋଟି ଆଣିବା ସକାଶେ,

ଭ୍ରମନ୍ତି ସପ୍ତର୍ଷି ଉତ୍ତର ଆକାଶେ ।

 

ସ୍ୱାଗତ ଭୋଦେବ ଭୋଦେବି ଚପଳେ

ଏ ଭାରତ ଧରା ପୂର୍ବ ପୁଣ୍ୟଫଳେ-

କରିବ ତୁମ୍ଭଙ୍କୁ ଚାକ୍ଷୁଷ ଦର୍ଶନ,

ଯୋଗ ହେବ ଆହା ମଣିରେ କାଞ୍ଚନ ।

 

ସୌଭାଗ୍ୟରୁ ତୁମ୍ଭ ଯୁଗଳଙ୍କୁ ପାଇ,

ଦୁଃଖ-ନିଶି ତାର ଖରେ ଯିବ ପାହି ।

ବାନ୍ଧିଅଛି ମନେ ଦୃଢ଼େ ଏ ଭରସା,

ସାର୍ଥକ ସାର୍ଥକ ତାହା ମହାଯଶା ।

 

ଆବାହନ

(ଭାରତସମ୍ରାଟ ପଞ୍ଚମ ଜର୍ଜ ଓ ସାମ୍ରାଜ୍ଞୀ ମେରୀଙ୍କ ଭାରତ-ଶୁଭାଗମନୋପଲକ୍ଷେ)

 

ଆସ ହେ ସମ୍ରାଟ ପଞ୍ଚମ-

ଜର୍ଜ ସମ୍ରାଜ୍ଞୀ ମେରି,

ତବ ପୁଣ୍ୟ ନାମେ ଭାରତେ

ବାଜେ ମଙ୍ଗଳ ଭେରୀ ।

 

ଧନ୍ୟ ଶତ ଧନ୍ୟ ତୁମ୍ଭର

ରାଜ୍ୟ-ଶାସନ ନୀତି,

ନ୍ୟାୟ ଦୟା ପ୍ରୀତି ତିତିକ୍ଷା

ସତ୍ୟ ଯା ମୂଳ ଭିତ୍ତି ।

 

ତୁମ୍ଭ ସୁପାଳନେ ଭାରତେ

ନାହିଁ ଦୁର୍ଭିକ୍ଷ-ଭୟ,

ଦମିଯାଇଅଛି ମଡ଼କ

ମହାମାରୀ ଆମୟ ।

 

ରାମ-ରାଜ୍ୟ ପ୍ରାୟେ ପ୍ରଜାଏ

ଭୋଗୁଅଛନ୍ତି ସୁଖ,

ଦର୍ଶନାଶେ ସର୍ବେ ଉତ୍ପକ୍ଷ୍ମ

ତବ ସୌମ୍ୟ ଶ୍ରୀମୁଖ ।

 

କଳ୍ପତରୁ ତୁଲେ ତୁମ୍ଭଙ୍କୁ

ଆହା ଲଭି ଭାରତ

ବାହୁଚ୍ଛାୟା ତଳେ ଆଶ୍ରୟ

ଘେନି ହେଉ ଉଷତ ।

 

ଶୁଭେ ଅବତରି ସର୍ବାଣୀ

ସର୍ବ ମଙ୍ଗଳାଳୟ,

କରିଗଲେ ତବ ଆଗମ-

ପଥେ ମଙ୍ଗଳମୟ ।

 

ଆସ ଦେବଦେବୀଯୁଗଳ

ଆସ ଆସ ବହନେ,

ହର୍ଷ-ପାରିଜାତ ଫୁଟାଅ

ଏ ଭାରତ-ନନ୍ଦନେ ।

 

ନିଖିଳ ଭୁବନ କାରଣ

ପ୍ରଭୁ ହେ ପରାତ୍ପର,

ସର୍ବଶୁଭେ ଆଣ ଭାରତେ

ରାଜ୍ଞୀ ଭାରତେଶ୍ୱର ।

 

ଦୀର୍ଘ ହେଉ ତାଙ୍କ ଶାସନେ

ଦିନ ମାସ ସମାନ,

ମାସ ହେଉ ବର୍ଷ, ବର୍ଷକ

ହେଉ ଯୁଗ ପ୍ରମାଣ ।

 

ଦେବବର୍ଷ କ୍ରମେ ଶାସନ୍ତୁ

ଶତବର୍ଷ ସେ କ୍ଷିତି,

ଗାଉ ଏ ଅବନୀ ଆନନ୍ଦେ

ତାଙ୍କ ସୁଯଶ-ଗୀତି ।

 

ମଙ୍ଗଳ ସଙ୍ଗୀତ

(ମହାମାନ୍ୟ ଭରତ ସମ୍ରାଟ ପଞ୍ଚମ ଜର୍ଜଙ୍କ ଶୁଭାଭିଷେକ ଉପଲକ୍ଷେ ରଚିତ ହୋଇ ପ୍ରାକୃତିକ ଉତ୍କଳର ବିଭିନ୍ନ ସ୍ଥାନର ବାଳକ ଓ ବାଳିକାମାନଙ୍କଦ୍ୱାରା ଗୀତ ହୋଇଥିଲା ।)

(୧)

ସମ୍ରାଟ-ଅଗ୍ରଣୀ                   ଦୟାକ୍ଷମା-ଖଣି

ବ୍ରିଟେନହୃଦୟ କୌସ୍ତୁଭ ମଣି,

ତାହାଙ୍କୁ କେ ସରି                   ସାଗର-କେଶରୀ

ଭୟେ ଯାଙ୍କ ପାଦେ ଖଟେ ଖଟଣୀ । ୧।

 

ହସ୍ତିନାରେ ଆଜି                   ଅଛନ୍ତି ବିରାଜି

ସେ ପଞ୍ଚମ ଜର୍ଜ ମହିଷୀ ସହ,

ମୁକୁଟ ଧାରଣ                  କରିବା କାରଣ

ଲାଗିଛି ଉତ୍ସବ ଆନନ୍ଦାବହ । ୨।

 

ନବ ଅନୁରାଗେ                   ରାଜସୂୟଯାଗେ

ଦେଇଛନ୍ତି ଯୋଗ ନୃପତିଗଣ,

ସମ୍ରାଟ ଉପାଧି                  ସହ ରାଜଗାଦି

କରିବେ ତାହାଙ୍କୁ ହର୍ଷେ ଅର୍ପଣ । ୩ ।

 

ହୋଇ ଚିରଜୀବୀ                   ଶାସନ୍ତୁ ପୃଥିବୀ

ସମ୍ରାଟ ସମ୍ରାଜ୍ଞୀ ଉଭେ ଆମ୍ଭର,

ଚିନ୍ତାମଣି ଭାଷେ                  ଶ୍ରୀହରିଙ୍କ ପାଶେ

ମାଗ ମାଗ ଭାଇ ସଦା ଏ ବର । ୪ ।

(୨)

ମାହେନ୍ଦ୍ର ମୁହୂର୍ତ୍ତେ ପ୍ରଭାତି

ଗତ ଶୁଭ ରଜନୀ,

ଭସାଇଲା ହର୍ଷ-ପ୍ରବାହେ

ଆହା ଅର୍ଦ୍ଧ-ଅବନୀ ।

 

ରମ୍ୟା ଅମରାରେ ଯେସନ

ଇନ୍ଦ୍ର ସଙ୍ଗେ ଇନ୍ଦ୍ରାଣୀ,

ଅଭିଷିକ୍ତ ଆଜି ହସ୍ତିନା-

ପୁରେ ନୃମଣି ରାଣୀ ।

 

ଏ ନବୀନ ଦୃଶ୍ୟ ଦର୍ଶନେ

ଆଜି ଭାରତମହୀ,

ହସଇ ନବୀନ ଆନନ୍ଦେ

ନବ ଉତ୍ସାହ ବହି ।

 

ଆକାଶ ପାତାଳ ଦେଇଛି

ଯୋଗ ସେ ନବ ହର୍ଷେ,

ବୋଲେ ଚିନ୍ତାମଣି ସକଳେ

ଧର ସେହି ଆଦର୍ଶେ ।

(୩)

ନବ ଛନ୍ଦେ ଗାଅ ରାଜାରାଣୀ ବନ୍ଦନା,

ସାର୍ଥକ ହୋଇବ ଚିରଜଡ଼ ରସନା । ପଦ ।

 

ତାଙ୍କ ଶୁଭ ଅଭିଷେକେ ମାତି ପ୍ରେମ ଅତିରେକେ

କର ହେ ତାହାଙ୍କୁ ପ୍ରୀତିଭରେ ଅର୍ଚ୍ଚନା । ୧ ।

 

ତାଙ୍କ ସ୍ନେହ ଦୟା ସ୍ମରି ଶ୍ରଦ୍ଧାଭକ୍ତି ହୃଦେ ଧରି

କରିବା ତାଙ୍କର ଚିର ଶୁଭ-କାମନା । ୨ ।

 

ତାଙ୍କ ନିର୍ଦ୍ଦୋଷ ଶାସନେ ସୁଖେ ଛନ୍ତି ପ୍ରଜାଜନେ

ହୋଇଛି ଦୂର ଦୁର୍ଭିକ୍ଷ-ରକ୍ଷ ତର୍ଜନା । ୩ ।

 

କହେ ଚିନ୍ତାମଣି ଗୀତେ ବାହୁ ତୋଳି ହୃଷ୍ଟ ଚିତ୍ତେ

କର ରାଜାରାଣୀଙ୍କର ଜୟ ଘୋଷଣା । ୪ ।

 

(୪)

ଗାଅ ଗାଅ ସର୍ବେ             ଗାଅ ମହାନନ୍ଦେ

ବଜାଇ ସୁକଣ୍ଠ-ଭେରୀ,

ଜୟ ଜୟ ଜୟ             ମହାରାଜା ଜର୍ଜ

ଜୟ ମହାରାଣୀ ମେରୀ ।

 

ତାଙ୍କ ଛତ୍ରତଳେ            ଅଛନ୍ତି ସକଳେ

ଆମ୍ଭେମାନେ ସୁକୁଶଳେ,

କୁସୁମ-ଆବଳୀ            ଦେବା ପୁଷ୍ପାଞ୍ଜଳି

ତାହାଙ୍କ ପଦ-କମଳେ ।

 

ଆନନ୍ଦ-ଚନ୍ଦନ             କରି ବିଲେପନ

ଭକତି-ତୁଳସୀଦଳେ,

ଗୁନ୍ଥି ତହିଁ ହାର             ପ୍ରୀତି-ଉପହାର

ଲମ୍ବାଇବା ତାଙ୍କ ଗଳେ ।

 

ଶ୍ରଦ୍ଧାକୃତଜ୍ଞତା            ଗୌରବ-ମମତା

ସଙ୍ଗେ ନିଷ୍ଠା ଅନୁରକ୍ତି,

ଚିନ୍ତାମଣି କହେ             ବାଳକେ ଶୁଣ ହେ

ପ୍ରଦର୍ଶାଅ ରାଜଭକ୍ତି ।

 

ଅଭିନନ୍ଦନ

(ରାଜପ୍ରତିନିଧି ସାର୍ ଚାର୍ଲ୍‍ସବେଲି ମହୋଦୟଙ୍କ ଉତ୍କଳ ଶୁଭାଗମନୋପଲକ୍ଷେ)

 

ସ୍ୱାଗତ ଭୋ ଦେବ ରାଜପ୍ରତିନିଧି,

ବିହାର-ଉତ୍କଳ ନବ-ଭାଗ୍ୟବିଧି ।

ଉଦାରହୃଦୟ ବୋଲି ମହୋଦୟ,

ନୀତିପଟୁ ବିଜ୍ଞ ସାଧୁ ସଦାଶୟ ।

 

କର କୃତିବର ସସ୍ନେହେ ଗ୍ରହଣ,

ଦୀନ ଉତ୍କଳର ଶ୍ରଦ୍ଧାଭିନନ୍ଦନ ।

ତୀର୍ଥପୂତ-ଦେବଧାମ ଏ ଉତ୍କଳ,

ଭାରତ-ମାନସ-ସ୍ୱର୍ଣ୍ଣ-ଶତଦଳ।

 

ଭାଗ୍ୟଦୋଷେ ସିନା ଏବେ ଅନୁନ୍ନତା,

ମାତ୍ର ଥିଲା କାଳେ ବାଞ୍ଛା-କଲ୍ପଲତା ।

ଆଶାୟୀ ସେ ଲଭି ତୁମ୍ଭଙ୍କୁ ସହାୟ,

ବିହିବ ତୁମ୍ଭେ ତା ଉନ୍ନତି ଉପାୟ ।

 

ପ୍ରବୀଣ ବିନ୍ଧାଣିପଣେ ତୁମ୍ଭେ ତାର,

ଗଢ଼ିଦିଅ ନବ ସୌଭାଗ୍ୟ ଆଗାର ।

ତବ ରାଜପଣ ପରୋକ୍ଷେ ପ୍ରତ୍ୟକ୍ଷେ,

ଶୁଭମୟ ସଦା ହେଉ ଦେଶ ପକ୍ଷେ ।

 

ହୋଇ ତୁମ୍ଭେ ଚିର ସୁସ୍ଥ ଦୀର୍ଘଜୀବୀ,

ପାଳ ହୃଷ୍ଟମନେ ଉତ୍କଳ ପୃଥିବୀ ।

ଏ ପ୍ରାର୍ଥନା ତବ ଭକ୍ତ ପ୍ରଜାଗଣେ,

କରୁଅଛୁଁ ସର୍ବେ ଶ୍ରୀହରି-ଚରଣେ ।

 

ଗଞ୍ଜାମମାତାର ଆଶୀର୍ବାଣୀ

[ ଦେଶମିଶ୍ରଣ ଆନ୍ଦୋଳନ ସମୟରେ ଲିଖିତ ]

 

କହନ୍ତି ଗଞ୍ଜାମମାତା କୃତିପୁତ୍ରଗଣେ,

ସନ୍ତୋଷ-ଆନନ୍ଦ-ସ୍ନେହ ଗଦ୍ଗଦ ବଚନେ ।

ଧନ୍ୟ ପୁତ୍ରବରେ ଧନ୍ୟ ମାତୃଭକ୍ତି ତବ,

ସଞ୍ଚାରେ ତା ହୃଦେ ଭାବୀ ଆଶା ନବ ନବ ।

 

କି କହିବି କାଳବଶେ ଦୁର୍ଭାଗ୍ୟୁଁ ମୋହର,

ହୋଇଅଛି ମସ୍ତକରୁ ଶରୀର ଅନ୍ତର ।

ସେଦିନୁ ଭୋଗୁଛି ମୁହିଁ ଯେ ଘୋର ଯନ୍ତ୍ରଣା,

ଅନ୍ତର୍ଯ୍ୟାମୀ ଭଗବାନେ ଏକା ତାହା ଜଣା ।

 

ସେ ବିଷମ ବ୍ୟଥା ମୋର ହରିବା ଆଶାରେ,

ଜଣାଉଛ ମାତୃଦୁଃଖ ସର୍ବେ ରାଜଦ୍ୱାରେ ।

କରି କେତେ ସ୍ଥାନେ ସଭା ସମିତି ଗଠନ,

ଉଚ୍ଚସ୍ୱରେ କରୁଛ ମୋ ଦୁର୍ଗତି ଗାୟନ ।

 

ରାଜପ୍ରତିନିଧି ପଦେ ସରଳେ ବିନୟେ,

ନିବେଦୁଛ ଦୁଃଖ ମୋର ବିକଳ ହୃଦୟେ ।

ଜଣାଅ ଜଣାଅ ସବୁ କରି ତନ୍ନତନ୍ନ,

ଟଳିବ ନିଶ୍ଚୟ ତାଙ୍କ କୃପା-ସିଂହାସନ ।

 

ସାଧନା ଅଧ୍ୟବସାୟେ ଦୃଢ଼ ନିଷ୍ଠା ଥିଲେ,

ସଦିଚ୍ଛାର ସିଦ୍ଧି ସିନା ବଳେ ବଳେ ମିଳେ ।

କରିବେ ତୁମ୍ଭର ବାଞ୍ଛା ସଫଳ ଶିରୀଶ,

ଚିରଜୀବୀ ହୁଅ ସର୍ବେ ମୋର ଏ ଆଶିଷ ।

 

ପ୍ରକୃତି-ପୁରୁଷ ସମର

 

ଛାଗେ ବାଘ ସମ            ନିଦାଘ ମଧ୍ୟାହ୍ନ

ଆକ୍ରମନ୍ତେ ବସୁନ୍ଧରା,

ଗୁରୁନିନ୍ଦା ପ୍ରାୟ             ସର୍ବପକ୍ଷେ ହେଲା

ଅସହ୍ୟ ପ୍ରଖର ଖରା ।

 

ଦେବ ଖରକର            ହୋଇ ଖରକର

ବର୍ଷିଲେ ଅନଳକଣା,

ଗରଳ ଉଦ୍‌ଗାର             କରେ କି ବାସୁକି

ବିସ୍ତାରିସହସ୍ର ଫଣା ।

 

ପ୍ରଚଣ୍ତ ପାବକ-            ପ୍ରବାହ ପରାୟେ

ବହି ତପ୍ତ ପବମାନ,

ଭୀଷଣ ଶୋଷଣେ            ଶୋଷି ପକାଇଲା

ସର୍ବପ୍ରାଣୀ-ପିଣ୍ତୁଁ ପ୍ରାଣ ।

 

ଦକ୍ଷିଣ ଅୟନୁ             ଅନ୍ତର ହେବାରୁ

ବିଶ୍ୱ-ପ୍ରଦୀପ ସପ୍ତାଶ୍ୱ,

ଦକ୍ଷିଣାଶା-ବଧୂ            ଢାଳୁଅଛି କିବା

ବିରହ-ପ୍ରତପ୍ତ-ଶ୍ୱାସ ।

 

ଆଶାର ଛଳନା-            ବିପଣୀ ବସାଇ

ମାୟାବିନୀ ମରୀଚିକା,

ଖେଳିଲା ଚୌଦିଗେ      କେଦାରେ ପ୍ରାନ୍ତରେ

ବିସ୍ତାରି ମୋହ-ପଟ୍ଟିକା ।

 

ନିଦାଘ-କିରାତ-            କରୁ ଆତ୍ମରକ୍ଷା-

ମାନସେ ବିହଗଚୟ,

ଶୀତଳ ଗହଳ             ପତ୍ର ଅନ୍ତରାଳେ

ଲୁଚିଲେ ଲଭିଣ ଭୟ ।

 

ଦୁର୍ବାର ତୃଷ୍ଣାରେ             ଶୃଷ୍କକଣ୍ଠ ସର୍ବେ

ବସିଛନ୍ତି ମେଲି ଚଞ୍ଚୁ,

ପାଞ୍ଚନ୍ତି କି ସେ ଏ             ପ୍ରପଞ୍ଚ ସମୟ

ଘୁଞ୍ଚିଯାଉ ବେଗେ ମଞ୍ଚୁ ।

 

ଘର୍ମାକ୍ତ ଶରୀରେ             ମର୍ମ୍ମାନ୍ତିକ କ୍ଳେଶେ

ପଶୁଏ ଅତି ଆରତ,

ଗଛମୂଳେ ଶୋଇ            କେ ହୁଏ ଧକେଇ

କେହି ବା ରୋମନ୍ଥେ ରତ ।

 

କି କୀଟ ପତଙ୍ଗ             କିବା ବିହଙ୍ଗମ

କି ଅବା ପଶୁ ମାନବ,

ନିଦାଘ-ମଧ୍ୟାହ୍ନ            କଠୋର ଶାସନେ

ସକଳେ ମହାନୀରବ ।

 

ଥରେ ଥରେ କେବେ       ବାଜି ଉଠୁଅଛି

କୁରରୀ-କଣ୍ଠ-ନାଗରା,

କାହା ଆଦେଶେ ସେ       ବୃକ୍ଷୁଁବୃକ୍ଷାନ୍ତରେ

କେଜାଣି ଦିଏ ପହରା ।

 

ଦୂରେ ଶୁଭୁଅଛି             ଘୁଟୁରୁଘୁମାର

ବିକଟ କୁନ୍ଥନ ସ୍ୱର,

ସେ ସଙ୍କେତ ଶୁଣି             ତା ସହଧର୍ମିଣୀ

ଦେଉଛି ପ୍ରତି-ଉତ୍ତର ।

 

ଶାଖୀ ଶାଖେ ଶିଖୀ       ଶିଖାତୋଳି ଆହା

ହୋଇ କେତେ ବ୍ୟାକୁଳିତ,

କଲା ସମାଳାପ            ଉଚ୍ଚେ ଷଡ଼୍‌ଜସ୍ୱରେ

ମଧ୍ୟାହ୍ନ କଷଣ-ଗୀତ ।

 

ଏ ବିଷମ କାଳେ             ସର୍ବେ କ୍ଷୁଣ୍ଣ ମାତ୍ର

ଦ୍ୱିଗୁଣ ହୃଷ୍ଟ କମଳ,

ସାଧୁ ଆତ୍ମା ସିନା             ଭବ-ଦାବେ ଦହି

ଅଧିକେ ହୁଏ ଉଜ୍ଜ୍ୱଳ ।

 

କ୍ରମେ କ୍ରମେ ବେଳ       ଗଡ଼ନ୍ତେ ନିଊନ

ହେଲା ଖରା, ବାୟୁତାପ,

ଯୌବନାନ୍ତେ ଯଥା            ଦମିଯାନ୍ତି ଆପେ

ଇନ୍ଦ୍ରିୟ-ରିପୁକଳାପ ।

 

ସନ୍ତାପିତ ଜୀବେ             ଲଭିଲେ ଆଶ୍ୱାସ

ନ ହୋଇ ଭାଗ୍ୟେ ଗତାୟୁ,

ଦୁଶ୍ଚିକିତ୍ସ୍ୟ ବ୍ୟାଧି-             ଅବଶ ପିଣ୍ତେ କି

ସଞ୍ଚରିଲା ପ୍ରାଣବାୟୁ ।

 

ଏ ସମୟେ ବହି             ମହା ଘୂର୍ଣ୍ଣିବାତ

ବିହିଲା ବୃକ୍ଷେ ପ୍ରମାଦ,

ଝିଙ୍କିଲା କିବା ସେ             ଧରି ଧରା-କେଶ

ବିରଚି ତା ସହ ବାଦ ।

 

ଗୁରୁ ଆଘାତିତ             କାଳ-ବ୍ୟାଳପ୍ରାୟ

ସରୋଷେ କରି ଗର୍ଜନ,

ଦଣ୍ତକ ମଧ୍ୟରେ             ଛିନ୍ନଭିନ୍ନ କଲା

ପ୍ରକୃତି ଚାରୁ ଭୂଷଣ ।

 

ସ୍ତରେ ସ୍ତରେ ଉଇଁ             ଆଚ୍ଛାଦିଲେ ନଭେ

ରୁଦ୍ରକାନ୍ତ ଘନରାଜି,

ପକ୍ଷ ଲଭି ପୁଣି             ଅବା ଗିରିଶ୍ରେଣୀ

ଉଡ଼ିଲେ ଆକାଶେ ଆଜି ।

 

ଶ୍ରବଣ ବିବର-            ବିଦାରୀ ନିର୍ଘାତ

ଶବ୍ଦ ହେଲା ଲକ୍ଷ ଲକ୍ଷ,

ଦମ୍ଭୋଳି-ନିକ୍ଷେପୀ            ଦମ୍ଭୋଳି ନିକ୍ଷେପି

ଛେଦିଲେ କି ତାଙ୍କ ପକ୍ଷ ।

 

ସେ ଆଘାତେ ଅବା       ଖଣ୍ତଖଣ୍ତ ହୋଇ

ଉଡ଼୍‌ଡ଼ୀୟମାନ ଅଚଳେ

କରକା ଛଳରେ             ରାଶି ରାଶି ଖସି

ପଡ଼ୁଛନ୍ତି ଆସି ତଳେ ।

 

ରୁଦ୍ର ଦାବାନଳ             ପ୍ରାୟ ଇରମ୍ମଦ

ଉଠୁଛି ପ୍ରଖରେ ଜଳି,

ଭୁଞ୍ଜିଲେ ଗିରିଏ            ଯୋଗ୍ୟଫଳ, ରଚି

ତେଜସ୍ୱୀ ସହିତେ କଳି ।

 

କେଜାଣି କିପାଇଁ             ଆକ୍ରୋଶ ପ୍ରକାଶି

ଧରା ପରେ ସୁନାସୀର,

ଜଳଧାରା ବ୍ୟାଜେ            ଅନର୍ଗଳ ବୃଷ୍ଟି

କଲେ ତୀକ୍ଷ୍‍ଣତର ତୀର ।

 

ସେ ସକଳ ବାଣ            ଗିଳି ଧରାଦେବୀ

ରଖିଲେ ପୂରି ଉଦର,

ଗିଳିଥିଲେ ଯଥା            ବନେ ପାର୍ଥ ବାଣ

କିରାତରୂପୀ ଶଙ୍କର ।

 

ପୁରୁଷସ୍ୱରୂପୀ            ପୁରୁଷୋତ୍ତମଙ୍କ

ଅଂଶ ମଘବା ନିଶ୍ଚୟ,

ପ୍ରକୃତି-ପୁରୁଷ             ଏ ଘୋର ସଂଗ୍ରାମେ

ପ୍ରକୃତିର ହେଲା ଜୟ ।

 

ସୀତା

 

ସତ୍ତ୍ୱଗୁଣମୟି ସୀତେ ପ୍ରକୃତି-ନନ୍ଦିନି,

ବାଲମୀକି-କାବ୍ୟ-ସ୍ୱର୍ଗ-ସ୍ୱଚ୍ଛ-ମନ୍ଦାକିନି ।

ଅଦ୍ଭୁତ ଚରିତ୍ର-ଚିତ୍ର ଚାରିତ୍ର୍ୟ-ଦୈବତେ,

ପ୍ରଦର୍ଶାଇ, କରିଗଲ ସ୍ତମ୍ଭିତ ଜଗତେ ।

 

ସତୀତ୍ୱର ରୁଦ୍ର ତେଜ କଲ ପ୍ରଜ୍ୱଳିତ,

ସେ ତେଜେ ଭାରତ ଅଛି ଅଦ୍ୟାପି ଜୀବିତ ।

ଆଦର୍ଶ ଜନନୀ ତୁମ୍ଭେ ଆଦର୍ଶ ଗୃହିଣୀ,

ପୂତ ପାତିବ୍ରତ୍ୟାଶ୍ରମ-ଶ୍ରେଷ୍ଠ-ତପସ୍ୱିନୀ ।

 

ପତିପଦ-ସେବା-ଯଜ୍ଞେ ପ୍ରବୀଣାଯାଜ୍ଞିକା,

ନିଖିଳ-ସଦ୍‌ଗୁଣବତୀ ସ୍ୱଧର୍ମ ସାଧିକା ।

ସହିଷ୍ଣୃତା ଶକ୍ତି ତବ କଳ୍ପନା-ଦୁର୍ବହ,

ତୁଳିତା ତହିଁରେ ତୁମ୍ଭେ ତୁମ୍ଭ ମାତା ସହ ।

 

ନିଷ୍ଠୁରା ସାବତ ଶାଶୁ କୈକେୟୀଙ୍କ ପ୍ରତି,

ପ୍ରକାଶୁଣ ଥିଲ ଦେବି ଅଚଳାଭକତି ।

ମାତ୍ର ସେହୁ ଈର୍ଷା ବହି ସ୍ନେହ ବିନିମୟେ,

ହେଲେ ଅମଙ୍ଗଳ ହେତୁ ଅହୋ କି ନିର୍ଦ୍ଦୟେ ।

 

ଯୋଗାଏ ଆହାର ହସ୍ତ ମୁଖକୁ ସର୍ବଥା,

ମାତ୍ର ମୁଖ ଦଂଶେ ହସ୍ତେ କି ଆଶ୍ଚର୍ଯ୍ୟ କଥା ।

ନ ଗଣି ବିପଦଭୟ ସ୍ୱାମିସେବା ପାଇଁ,

ଭ୍ରମିଲ ମୈଥିଳି କଷ୍ଟେ ଘୋର ବନେ ଯାଇ ।

 

ଦେବରେ କୁମାରତୁଲ୍ୟ ମଣୁଥିଲ ସତି,

ଆଦର୍ଶ ରମଣୀ-ରାଜ୍ୟେ ତୁମ୍ଭେ ଚକ୍ରବର୍ତ୍ତୀ ।

ଔଦାର୍ଯ୍ୟ-ଗାମ୍ଭୀର୍ଯ୍ୟ-ଧୈର୍ଯ୍ୟ-ମାଧୁର୍ଯ୍ୟ ଗୁଣର,

ଅଗର୍ଭସମ୍ଭବେ, ତୁମ୍ଭେ ଅକ୍ଷୟ ଆକର ।

 

ବିମୋହି ସୌନ୍ଦର୍ଯ୍ୟେ ତବ ଦୁରାତ୍ମା ରାବଣ,

ପଞ୍ଚବଟୀ ବନୁ କରି ତୁମ୍ଭଙ୍କୁ ହରଣ,

ରଖିଲା ସିନ୍ଧୁମେଖଳ ସୁବର୍ଣ୍ଣ ସିଂହଳେ,

ଦୁରନ୍ତାଦୁର୍ମୁଖା ଚେଟୀ ଘେରାଇ ଗହଳେ ।

 

ସେ ସଙ୍କଟ କାଳେ ତିଳେ ନୋହି ବିଚଳିତା,

ରହିଲ ଅଚଳ ପ୍ରାୟ ଅଟଳ ଗୋ ସୀତା ।

ବର ଦେବରଙ୍କ ବଳେ କରିଣ ନିର୍ଭର,

ହେଲ ନାହିଁ ବୀରନାରି, ବିପଦେ କାତର ।

 

କରି କେତେ ଚାଟୁ ଚାଟୁ-ପଟୁ ଦଶାନନ,

ଅବଶେଷେ କଲା ପୁଣି ଭୟ ପ୍ରଦର୍ଶନ ।

ମାତ୍ର ନ ପାରିଲା କରି ତୁମ୍ଭ ମନ ବଶ,

ରମଣୀ କୋମଳ ପ୍ରାଣେ ଧନ୍ୟ ଏ ସାହସ ।

 

ଗୁଣୁଗୁଣୁ ସ୍ୱରେ ଭୃଙ୍ଗ ସ୍ତବି ବାରମ୍ବାର,

ବିରକ୍ତିରେ କରେ ଯେବେ ଚରଣେ ପ୍ରହାର,

ତହିଁରେ ସଂପ୍ରୀତି ଅବା ଭୀତି ବହି ମନେ,

ଫୁଟଇ କି କମଳିନୀ ରବି ଅଦର୍ଶନେ ?

 

ସାର୍ଥ କରିଥିଲ ସୀତେ ଏ ନୀତି ବଚନ,

ଦଣ୍ତଦାନଠାରୁ ଶ୍ଳାଘ୍ୟ କ୍ଷମା ଆଚରଣ ।

ତେଣୁ ସିନା କ୍ଷମା କଲ ଦଶାନନ ଦୋଷ,

ଘୃଣିତ କୁକର୍ମେ ତାର ନ ବହିଣ ରୋଷ ।

 

ମାତ୍ର ନ କ୍ଷମିଲା ତବ ପାତିବ୍ରତ୍ୟ ଧର୍ମ,

ପ୍ରଦାନିଲା ପ୍ରତିଫଳ ତଥା, ଯଥା କର୍ମ ।

ସତୀଧର୍ମ-ବ୍ରହ୍ମତେଜ ନିୟତି ରୂପରେ,

ପେଷିଲା ସବଂଶେ ରକ୍ଷେ ଶମନ ନଗରେ ।

 

ସ୍ୱଭାବ-ବିଶୁଦ୍ଧା ତୁମ୍ଭେ ସଦା ଶୁଦ୍ଧମତି,

ତବ କୁଳ ଅଧିଦେବୀ ଯଥା ଭାଗୀରଥୀ ।

ନିର୍ମଳ-ଚରିତ୍ରେ ତବ ହୋଇ ସନ୍ଦିହାନ,

ପରୀକ୍ଷା ଦେବାକୁ ରାମ କଲେ ଆଜ୍ଞାଦାନ ।

 

ଦେବାଦେଶ ପ୍ରାୟ ଦେବି ମଣି ସେ ଆଦେଶ,

ଜ୍ୱଳନ୍ତ ଅନଳ କୁଣ୍ତେ କଲ ଗୋ ପ୍ରବେଶ ।

ଅକ୍ଷତ ଶରୀରେ ତହୁଁ ହୁଅନ୍ତେ ଉତ୍‌ଥିତ,

ସେ ଅଦ୍ଭୁତ ଦୃଶ୍ୟେ ହେଲେ ଅମରେ ସ୍ତମ୍ଭିତ ।

 

ଅଶୁଦ୍ଧେ ବିଶୁଦ୍ଧ ଭବେ କରେ ବୈଶ୍ୱାନର,

ମାତ୍ର ତୁମ୍ଭ ସ୍ପର୍ଶେ ସେହୁ ହେଲା ଶୁଦ୍ଧତର ।

ସ୍ୱର୍ଗତ ଶ୍ୱଶୁର ତବ ଆସି ଦେବଦେହେ,

ପ୍ରଶଂସି ତୁମ୍ଭଙ୍କୁ ବହୁ ଆଶିଷିଲେ ସ୍ନେହେ ।

 

ମିଥ୍ୟା ଲୋକ-ଅପବାଦେ କୌଶଲ୍ୟା-ନନ୍ଦନ,

ବିହିଲେ କଠୋରଦଣ୍ତ ବନ-ବିବାସନ ।

ଅଦୋଷେ ଦଣ୍ତିଲେ ପତି ନୋହିଲ ବିମନା,

ଶିଖିବେ କି ଏ ସୁନୀତି ଭାରତ-ଲଳନା ।

 

ରମଣୀ ମାହାତ୍ମ୍ୟେ ଥିଲା ଯେ ଦେଶ ବିଖ୍ୟାତ,

ହୋଇଛି ସେ ଦେଶ ଏବେ ଅଧୋଗତିଖାତ ।

ଯେ ଦେଶ ରମଣୀଙ୍କର ପବିତ୍ର ଆଖ୍ୟାନ,

ଧରିଅଛି ବକ୍ଷେ ଆର୍ଯ୍ୟ-ସାହିତ୍ୟ-ପୁରାଣ,

 

ସେ ଦେଶ ରମଣୀକୁଳ ଏବେ ଅଶିକ୍ଷତା,

ତବ ଜନ୍ମଭୂମେ ଏହା ସମ୍ଭବିଲା ସୀତା !

ଯେ ନନ୍ଦନେ ଫୁଟୁଥିଲା ପାରିଜାତ ଫୁଲ,

ଶାଳ୍ମଳୀ କିଂଶୁକ ତହିଁ ହୋଇଛନ୍ତି ଠୁଳ ।

 

ବହୁଥିଲା ଯେଉଁ ତୀର୍ଥେ ସ୍ୱଚ୍ଛ ବିଷ୍ଣୁପଦୀ,

କି ପାପେ ବହୁଛି ତହିଁ କର୍ମନାସା (୧) ନଦୀ ।

୧- ଅପବିତ୍ର ନଦୀବିଶେଷ

 

କର୍ପୂର ପାତ୍ରରେ ହେଙ୍ଗୁ ରହିଅଛି ଆହା,

ରୋଧିଅଛି କୁସଂସ୍କାର ଉନ୍ନତିର ରାହା ।

 

ଭାରତ-ରମଣୀ-ପ୍ରାଣେ କରି ଆବିର୍ଭାବ,

ଜଗାଅ ଜାନକି, ତାଙ୍କୁ ଦେଇ ନବଭାବ।

ତବ ଆଶୀର୍ବାଦେ ବହୁ ଚୈତନ୍ୟ ଆଶୁଗ (୨)(୨-ପବନ)

ଫେରିଆସୁ ଉନ୍ନତିର ଗତ ଶୁଭ ଯୁଗ ।

 

ବୁରଝାଞ୍ଜି

 

ଧିକ ବୁରଝାଞ୍ଜି ତୋର ନିର୍ଲ୍ଲଜ୍ଜ ଜୀବନ,

ସେ ଦିଗେ ଆଉଜୁ ବହେ ଯେ ଦିଗେ ପବନ ।

ମନୁଷ୍ୟେ ତୋ ସମଧର୍ମୀ ଅଟନ୍ତି ଅନେକ,

ବଚନ ବଦଳ ଏକା ତାଙ୍କ ଚିର ଭେକ ।

 

ମହା ସତ୍ୟବାଦୀପଣେ ଦେଖାନ୍ତି ଭ୍ରୂକୁଟି,

ସମୟ ପଡ଼ିଲେ ପୁଣି ପଡ଼ନ୍ତି ଲେଉଟି ।

ବିଚିତ୍ର ଜୀବ ସେ ଭବେ ଦୁଇମୁହାଁ ନର,

ଶୃଙ୍ଗହୀନ ହୋଇ ସୁଦ୍ଧା ମହାଭୟଙ୍କର ।

 

କେତେବେଳେ ବୋଲୁଥାନ୍ତି ଚନ୍ଦ୍ରମା ଶୀତଳ,

ପରେ ପୁଣି ବୋଲନ୍ତି ସେ ପ୍ରଚଣ୍ତ ଅନଳ ।

କହୁଥାନ୍ତି କଥା ସେହୁ ପ୍ରଭୁ ମନ ଧରି,

ମୂଳ ଶବ୍ଦ ପଛେ ପଛେ ପ୍ରତିଧ୍ୱନି ପରି ।

 

ହେଲେହେଁ ତୁ ବୁରଝାଞ୍ଜି ଏ କୂଳ ସେ କୂଳ,

ସାରରୂପେ ସାଧୁ ବୃକ୍ଷ-ମଙ୍ଗଳ ବହୁଳ ।

ମାତ୍ର ବୁରଝାଞ୍ଜି ଯେହୁ ମାନବସମାଜେ,

ଜୁହାର ଜୁହାର ଦୂରୁ ଜୁହାର ତା କାର୍ଯ୍ୟେ ।

 

ବୁରଝାଞ୍ଜି କରେ ସ୍ୱଚ୍ଛ ଅସ୍ୱଚ୍ଛ ସଲିଳେ,

ମାତ୍ର ନର-ବୁର୍ଝାଞ୍ଜିକୁ ପ୍ରତେ ନାହିଁ ତିଳେ ।

ନିର୍ମଳ ବୁଦ୍ଧିକୁ ସେହୁ କରେ କଳୁଷିତ,

ଅତଏବ ତାକୁ ଚିହ୍ନି ରଖିବା ଉଚିତ ।

 

ନବାବଙ୍କ ନାତି

 

ଭୂତଳେ ଅତୁଳ ଆମ୍ଭ ବଂଶର ଗୌରବ,

କୁବେର ସମାନ ଥିଲା ବିପୁଳ ବିଭବ,

ଝୁଲୁଥିଲେ ହାତୀଶାଳେ ପଣ ପଣ ହାତୀ,

କେ ବଡ଼ ଆମ୍ଭଠୁଁ, ଆମ୍ଭେ ନବାବଙ୍କ ନାତି ।୧ ।

 

ଓଟ ଘୋଡ଼ା ଗଧ ସଂଖ୍ୟା କେ ପାରିବ କଳି,

ଦଳ ଦଳ ଉଭା ଥିଲେ ଦୁଆରେ ଅର୍ଦ୍ଦଳୀ,

ବହୁ ଦାସ ଦାସୀ ପୁଣି ଅସଂଖ୍ୟ ପଦାତି,

କେ ବଡ଼ ଆମ୍ଭଠୁଁ, ଆମ୍ଭେ ନବାବଙ୍କ ନାତି । ୨।

 

ଥିଲେ ଆମ୍ଭ ବାପ ଅଯା ଗାଆଁମୁଣ୍ତିଆଳ,

ସମାଜରେ ଥିଲା ତାଙ୍କ ପ୍ରତିଷ୍ଠା ବିଶାଳ,

ବିକି ଭାଙ୍ଗି ଖାଉଅଛୁଁ ଆମ୍ଭେ ତାଙ୍କ ଖ୍ୟାତି,

କେ ବଡ଼ ଆମ୍ଭଠୁଁ, ଆମ୍ଭେ ନବାବଙ୍କ ନାତି ।୩।

 

ମପା ହେଉଥିଲା ସୁନା ରୁପା ପୁଡ଼ିପୁଡ଼ି,

ଦିବସରେ ଜଳୁଥିଲା ଛକୋଡ଼ି ଦିହୁଡ଼ି,

ଜଳୁନାହିଁ ତୈଳାଭାବେ ଏବେ ସନ୍ଧ୍ୟାବତି,

ତେବେ ସୁଦ୍ଧା ବଡ଼ ଆମ୍ଭେ ନବାବଙ୍କ ନାତି । ୪।

 

ଶୁଖିଯାଇଅଛି ପୂର୍ବ ସୌଭାଗ୍ୟ-ସରସୀ,

ମାସରେ ହେଉଛି ଘରେ ଦଶ ଏକାଦଶୀ,

କିଛି ନାହିଁ, ଅଛି ନିଶ ଅଛି ଫୁଲାଛାତି,

ତେବେ ସୁଦ୍ଧା ବଡ଼ ଆମ୍ଭେ ନବାବଙ୍କ ନାତି ।୫।

 

ଏଡ଼େବଡ଼ ବଡ଼ପଣ ଏଡ଼େବଡ଼ ନାମ,

କରିବୁଁ କି କଳଙ୍କିତ କରି ଚାଷ କାମ,

ନଷ୍ଟ ହେବ ମାନ ତହିଁ ନଷ୍ଟ ହେବ ଜାତି,

କେ ବଡ଼ ଆମ୍ଭଠୁଁ ଆମ୍ଭେ ନବାବଙ୍କ ନାତି । ୬ ।

 

କରିବୁଁ ପଛକେ ପର ପାଦେ ତୈଳଦାନ,

ଗୋଡ଼ାଇବୁଁ ପର ପଛେ ଯଥା ପୋଷାଶ୍ୱାନ,

ଇତର ବେଉସା କରି ହେବୁଁ କି ଅଜାତି,

କେ ବଡ଼ ଆମ୍ଭଠୁଁ ଆମ୍ଭେ ନବାବଙ୍କ ନାତି ।୭।

 

ରେଲଗାଡ଼ି

-୧-

ଆସ ଯିବା ଦେଖିବାକୁ ଆସ ଆସ ଭାଇ,

ଓଡ଼ିଶାକୁ ରେଲଗାଡ଼ି ଆସୁଅଛି ଧାଇଁ,

ଦେଖ ଦେଖ ଦୂରେ ଲକ୍ଷି, ଆସୁଛି ଅଦ୍ଭୁତ ପକ୍ଷୀ

ନାହିଁ ତାର ପକ୍ଷ ଡେଣା ଥଣ୍ଟ ନଖ ନାହିଁ,

ପବନ ଗତିରେ ଖରେ ଆସୁଅଛି ଧାଇଁ ।

-୨-

ମହା ଉଗ୍ରମୂର୍ତ୍ତି ସେହୁ ପ୍ରବଳ ଅପାର,

ନାସାପଥେ ଧୂମସ୍ତମ୍ଭ କରୁଛି ଉଦ୍‌ଗାର,

ଘୋର ଘର୍ଘର ନିର୍ଘୋଷେ ପଲକେ ସେ ଧାଏଁ କୋଶେ

ଘେନି କେତେ ମାଲମତା ପଶୁ ପକ୍ଷୀ ନର,

ପ୍ରତେ ହୁଏ ଧାଏଁ ଯଥା ସଚଳ ନଗର ।

-୩-

ଆସ ଆସ କିଏ ଯିବ ଧରି ଛତାବାଡ଼ି,

ଆଣ ଆଣ ଖରେ ଆଣ ଗଣ୍ଠିରି ସଜାଡ଼ି,

ବାଜିଲା ଟିକଟ ଘଣ୍ଟା ଭିଡ଼ ଭିଡ଼ ଆଣ୍ଟେ ଅଣ୍ଟା

ସତ୍ୱର ଟିକଟ କାଟ ଟଙ୍କା ଘେନିଯାଇ,

ପଡ଼ିଲେ ଅଧିକ ଦିଅ ଚିନ୍ତା କର ନାହିଁ ।

 

-୪-

ପହୁଞ୍ଚିଲା ଷ୍ଟେସନରେ ଆସି ରେଳଗାଡ଼ି,

ଜଳୁଛି ଆଲୁଅ କେତେ ହୋଇ ଧାଡ଼ି ଧାଡ଼ି,

ପିଇଲେ ଇଞ୍ଜିନ ଜଳ ଛାଡ଼ିବ ଗାଡ଼ି ଚଞ୍ଚଳ

ଧାଇଁ ଚାଲ ଖରେ ରେଲ ଚଢ଼ିବା ସତ୍ୱର

ଦିନକେ ଆସିବା ବୁଲି ପୁରୀ ବାଲେଶ୍ୱର ।

-୫-

ଦେଖ ରେଲ ପାଶେ ରୁଣ୍ତ ଭେଣ୍ତା-ବୁଢ଼ା-ପିଲା,

ଲାଗିଅଛି ସଂସାରର ଆତଯାତ ଲୀଳା,

ଆସନ୍ତି ଓହ୍ଳାଇ ଯେତେ ଚଢ଼଼ୁଛନ୍ତି ପୁଣି ତେତେ

କାହା ପାଇଁ କେବେ କେହି ନ କରେ ପ୍ରତୀକ୍ଷା,

ଧରିଛନ୍ତି ସର୍ବେ ସ୍ୱାର୍ଥସଂରକ୍ଷିଣୀ ଦୀକ୍ଷା ।

-୬-

ଜଳିଲାଣି ଦେଖ ନୀଳ ସଙ୍କେତ ଆଲୁଅ,

ଏକ୍ଷଣି ଚାଲିବ ରେଲ ସାବଧାନ ହୁଅ,

ତିନି ଯୋହା ଘଣ୍ଟା ପିଟି ମାରୁଅଛି ଗାର୍ଡ଼ ସିଟି

ଉଡ଼ାଉଅଛନ୍ତି ନୀଳଧ୍ୱଜା-ସିଗଲାର,

ପେଁକାଳୀ ପରି ଇଞ୍ଜିନ କରୁଛି ଚିତ୍କାର ।

 

-୭-

ଚାଲିଲା ଚାଲିଲା ଏବେ ରେଲ ଧୀରେଧୀରେ,

ବଜାଇଣ ଝାମ୍ପବାଜା ଉଚ୍ଚାଟ ଧ୍ୱନିରେ,

କ୍ରମେ କ୍ରମେ ବଢ଼େ ବେଗ ଲଭି ଉତ୍କଣ୍ଠା ଉଦ୍‌ବେଗ

ପଳାନ୍ତି କି ପାର୍ଶ୍ୱବର୍ତ୍ତୀ ବୃକ୍ଷ କ୍ଷେତ୍ର ଖରେ,

ହୋଇ ଅତି ଅସ୍ତବ୍ୟସ୍ତ ବିତ୍ପାତ ଭୟରେ ।

-୮-

ଅବାଧେ ଚାଲିଛି ରେଲ ବେଗେ ଧାଇଁ ଧାଇଁ,

ନ ପାଇଲେ ଷ୍ଟେସନ ସେ ସ୍ଥିର ହେବ ନାହିଁ,

ଯଥା ଦୁର୍ଜନ ଦୁରାଶା ଲୋଭମୋହର ପିପାସା

ବଢ଼ୁଥାଏ କ୍ରମେ ବାଧା ନ ପାଇବା ଯାଏଁ,

ଦୈବାତ୍‌ ପାଇଲେ କ୍ଷଣେ କ୍ଷାନ୍ତ ହୋଇଯାଏ ।

-୯-

ଅଟକିଲା ରେଲ ଏବେ ଷ୍ଟେସନ ପାଖରେ,

ସ୍ୱାର୍ଥପ୍ରଣୋଦିତ ଦେଖ ଆରୋହିନିକରେ,

ତଡ଼ିବାକୁ ଆଗନ୍ତୁକ             ଆରୋହିବାକୁ ଉତ୍ସୁକ

ସ୍ୱାର୍ଥ-ଦ୍ୱେଷ ପ୍ରରୋଚନା ଭୀଷଣ ତାଡ଼ନେ,

ଚାହୁଁନାହିଁ କେହି ଦେଖ କାହାରି ବଦନେ ।

 

-୧୦-

ପ୍ରବଳର ସବୁଠାରେ ପ୍ରତାପ ସମାନ,

ନ ମାନି ବିଘ୍ନ ସେ ବାଛିନିଏ ଅଗ୍ରେ ସ୍ଥାନ,

ଦୁର୍ବଳ ଦୁର୍ଗତି ସହେ       ଏହା ନୀତିଶାସ୍ତ୍ର କହେ

ଇତସ୍ତତଃ ଭ୍ରମେ ଯଥା ବାତେ ବୁରଝାଞ୍ଜି,

ପାଇଲେ ଟିକିଏ ସ୍ଥାନ ବସେ ଗୁଞ୍ଜିଗାଞ୍ଜି ।

-୧୧-

ଏ ନୀତି ମନୁଷ୍ୟପଣ ନୁହେଁ କଦାଚନ,

ଆନେ ଘଉଡ଼ିବା ହିଂସ୍ରଜନ୍ତୁ ଆଚରଣ,

ଭବେ ବହି ନର ନାମ ଏରୂପେ ଯେ କରେ କାମ

ତାର ଏ ପାଶବ ଭାବେ ଦୂରୁ ନମସ୍କାର,

କଳଙ୍କପସରା ସେହୁ ଧିକ ତା ବେଭାର ।

-୧୨-

ଥାଉ ସେ କଥାରେ କିଛି ନାହିଁ ପ୍ରୟୋଜନ,

ରହିଲାଣି ରେଲ ଏବେ ଓହ୍ଲାଅ ବହନ,

ଅର୍ଥବ୍ୟୟେ ନାହିଁ ଦୁଃଖ ରେଲଚଢ଼ା ବଡ଼ ସୁଖ

ଆସ ଆସ କେ ଦେଖିବ ଖରେ ଆସ ଭାଇ,

ଓଡ଼ିଶାକୁ ରେଲଗାଡ଼ି ଆସୁଅଛି ଧାଇଁ ।

 

ତପ୍ତଶ୍ୱାସ

(ସ୍ୱର୍ଗୀୟଅଭିରାମଭଞ୍ଜ ଏମ. ଏ., ବି ଏଲ୍.ଙ୍କ ଲୋକାନ୍ତରୋପଲକ୍ଷେ )

 

ଅହୋ ! କି ଅଶୁଭ କ୍ଷଣେ ପାହିଥିଲା ଆଜି

କାଳ ବିଭାବରୀ, ଶୋକ-ସନ୍ତାପଦାୟିନୀ,

ପାଣ୍ତିତ୍ୟ, ଗାମ୍ଭୀର୍ଯ୍ୟ ଆଉ ଔଦାର୍ଯ୍ୟ-ଭୂଷଣ,

ସୌନ୍ଦର୍ଯ୍ୟ-ମାଧୁର୍ଯ୍ୟ-ମହାମିଳନ-ମନ୍ଦିର

 

ଉତ୍କଳ-ନେତ୍ରାଭିରାମ ଭଞ୍ଜ-ଅଭିରାମ,

ଗଲେ ତେଜି ମର୍ତ୍ତ୍ୟଧାମ, ଅକାଳେ ସ୍ୱରଗେ,

ଭସାଇ ଉତ୍କଳେ ଶୋକ ତୀବ୍ର ହାହାକାରେ,

ହାୟ ମା ଉତ୍କଳଭୂମି, କେଉଁ ପାପଫଳେ

 

ଫଳିଲା କପାଳେ ତୋର ଏସନ କୁଫଳ;

ହୋଇ ରୁଷ୍ଟ ଅସନ୍ତୁଷ୍ଟ କେଉଁ ଦୁଷ୍ଟ ଗ୍ରହ,

କଷ୍ଟ ଦେଲା କୋଷ୍ଠୀରେ ତୋ ହୋଇ ଅଧିଷ୍ଠିତ

ଗଲେ କାଲି ବ୍ରଜରାଜ, ଆଜି ଅଭିରାମ,

 

ଏହିପରି ଗୋଟିଗୋଟି ସମୁଜ୍ଜ୍ୱଳ ମଣି

ଅମୂଲ୍ୟ ଅତୁଲ୍ୟ, ଝଡ଼ିପଡ଼ି ତୋ ମୁକୁଟୁଁ

ଅକାଳେ, ଲୁଚାଇ ସ୍ୱୀୟ ସ୍ୱର୍ଗୀୟ ପ୍ରତିଭା

ଯାଇଛନ୍ତି ଲୁଚି ଭବ-ଯବନିକା ପାରେ ।

 

ହାୟ ରେ ଦାରୁଣ କାଳ ! ସମୟ ବୁଝିଣ

ସାଧିଲୁ କି ଦାଉ ତୁହି ନିର୍ଦ୍ଦୟ ନିର୍ମମ

ଧିକ ତୋତେ, ଶତଧିକ ପୁଣି କାର୍ଯ୍ୟେ ତୋର

କେଉଁ ପଉରୁଷ ଲଭୁ ପୀଡ଼ା ଦେଇ ପରେ ।

 

ଯାଅ ଭାଇ ଅଭିରାମ, ସ୍ୱଚ୍ଛନ୍ଦେ ବିହର-

ଅନନ୍ତ ଅମୃତମୟ-ଅନାମୟ-ଧାମେ,

ହୋଇଗଲ ତୁମ୍ଭେ ଭାଇ, କାଳର ଶାସନେ

ଜଗତ-ଲୋକ-ଲୋଚନ-ଅଗୋଚରୀଭୂତ,

 

କିନ୍ତୁ ତୁମ୍ଭ ଗୁଣ-ସ୍ମୃତି, ଆଦର୍ଶ-ଆରଶି;

ତହିଁ ତବ ପ୍ରତିବିମ୍ବ ଥିବ ବହୁକାଳ ।

ଉତ୍କଳର ତପ୍ତଶ୍ୱାସ, ତପ୍ତ ଅଶ୍ରୁ ଭେଟି

ଘେନି ଲୀନ ହୁଅ ଭାଇ ବିଶ୍ୱାତ୍ମା ପୟରେ ।

 

ଉତ୍କଳ-ବିଳାପ

(ଖଡ଼ିଆଳରସ୍ୱର୍ଗୀୟ ରାଜା ବୀରବିକ୍ରମ ଦେବଙ୍କ ଲୋକାନ୍ତରୋପଲକ୍ଷେ)

ବିଳପେ ଉତ୍କଳମାତା ଶୋକାଶ୍ରୁ ନୟନେ,

ମର୍ମବିଦାରକ ମହାକରୁଣ ବଚନେ ।

କାହିଁ ଗଲେ କର୍ମବୀର ଶ୍ରୀ ବୀରବିକ୍ରମ,

ଖଡ଼ିଆଳମହୀପାଳ ରାଜର୍ଷିସତ୍ତମ ।

ବିରଚି ବିବିଧ କାବ୍ୟ ବିବିଧ ନାଟକ,

ନାଶୁଥିଲେ କୁସଂସ୍କାର-ସମାଜକଣ୍ଟକ ।

ଏକ ହସ୍ତେ ରାଜକାର୍ଯ୍ୟ ବାଣୀପୂଜା ଆନେ,

ସାଧୁଥିଲେ ସାଧୁ-ନୃପ ଧନେ ମନେ ପ୍ରାଣେ ।

ଅକାଳେ ସେ ଭବଧାମୁଁ ଘେନିଲେ ବିଦାୟ,

ହରାଇ ଅଭାଗୀ ହେଲି ଯୋଗ୍ୟ ସୁତେ ହାୟ !

ଏ ସମୟେ ବୀଣା ବାଇ ଦେବୀ ବୀଣାପାଣି,

ଉଚ୍ଚାରିଲେ ମହାଶୂନ୍ୟୁ ଏ ପ୍ରବୋଧ-ବାଣୀ -

ତେଜ ଗୋ ଉତ୍କଳଦେବି ! ବୃଥା ମାୟାଭ୍ରମ;

ନାହାନ୍ତି କଦାପି ମରି ସେ ବୀରବିକ୍ରମ ।

 

ଘଟିଅଛି ତାହାଙ୍କର ମାତ୍ର ଘଟାନ୍ତର,

ଏଥକୁ କିପାଇଁ ଏଡ଼େ ହେଉଛ କାତର ।

 

ମୋହର ଯେ ଭକ୍ତ ଦେବି, ନାହିଁ ତା ମରଣ

ଭ୍ରମେ ସଦା ବହୁଦେହ କରି ସେ ଧାରଣ ।

ଚିର ଅନାମୟ ମୋର ସାରସ୍ୱତ କୁଞ୍ଜେ

ବିଭ୍ରମି ବୀରବିକ୍ରମ ଶାନ୍ତିସୁଖ ଭୁଞ୍ଜେ ।

 

ଭ୍ରମନ୍ତି ସେ କୁଞ୍ଜେ ହୋଇ ଧରାଧରି ହାତ,

କବି-ଚକ୍ରବର୍ତ୍ତୀ ଭଞ୍ଜ, ରଥ, ଜଗନ୍ନାଥ ।

ଦୀନକୃଷ୍ଣ, ଅଭିମନ୍ୟୁ ଭକ୍ତଶିରୋମଣି,

ରାଜକବି ଶ୍ରୀ ସୁଢଳସୁକଳ୍ପନା-ଖଣି ।

 

ଆବର ଭ୍ରମଇ ମୁଦେ କବି ରାଧାନାଥ,

ଉତ୍କଳ ଭାଷାକୁ ଯେହୁ କଲାକ କୃତାର୍ଥ ।

ଶ୍ରୀ ବୀରବିକ୍ରମ ଲଭି ତାହାର ସନ୍ନିଧି,

ମଣେ କରଗତ ହେଲାପ୍ରାୟ ହୃତନିଧି ।

 

ନ କାନ୍ଦ ତା ପାଇଁ ଦେବି ! ରଖ ତାର ସ୍ମୃତି,

କରନ୍ତୁ ତୋ ସୁତେ ତାର କର୍ମ ଅନୁକୃତି ।

 

ଅଶ୍ରୁପାତ

(ସ୍ୱର୍ଗୀୟ ଭକ୍ତକବି ରାୟ ମଧୁସୂଦନ ରାଓ ବାହାଦୂରଙ୍କ ସ୍ୱର୍ଗାରୋହଣୋପଲକ୍ଷେ)

 

ପଡ଼ିଲା ବିନା ମେଘେ କାହୁଁ ଅଶନି

ଲେଖନେ ସେ ବାରତା ଥରେ ଲେଖନୀ,

ଦୀନା ଉତ୍କଳତାରଙ୍କୁଣୀଧନ,

ଗତାୟୁ ଭକ୍ତକବି ମଧୁସୂଦନ । ୧।

 

ଝୁରେ ଉତ୍କଳତା ଉତ୍କଳ ଭାଷା,

ତୁଟିଯାଇଛି ଆହା ମହତୀ ଆଶା,

କାତରେ ଡାକେ ତ୍ରାହି ମଧୁସୂଦନ,

କାବ୍ୟ-କୁସୁମ-ମତ୍ତ ମଧୁସୂଦନ ।୨ ।

 

ସାରସ୍ୱତ ଆଶ୍ରମେ ସ୍ମୃତିମନ୍ଦିର,

ତୋଳି ଚଳିଲ ସ୍ୱର୍ଗେ କବିପ୍ରବର;

ସଞ୍ଚିଛ ତହିଁ ଯେଉଁ ଶାଶ୍ୱତ ଧନ,

ଲଭି ତା ହେବେ ଧନୀ ଉତ୍କଳଜନ । ୩ ।

 

ଯାଅ ହେ ବାଣୀପୁତ୍ର ବାଣୀଭୁବନେ,

ସୁକୃତି-ପଥେ କୀର୍ତ୍ତି-ରଥାରୋହଣେ ।

ଅଛନ୍ତି ରାଧାନାଥ ଯେଠାବେ କବି,

କୋମଳ-ସୁକଳ୍ପନା-ସରୋଜ-ରବି । ୪ ।

 

କବି କବି ମିଳନେ ବାଣୀ ବୀଣାର,

ଉଠିବ ମହାଭାବେ ମହାଝଙ୍କାର ।

ବଞ୍ଚିତ ଆହା ତାହା ଶ୍ରବଣେ ନରେ

ସେ ସୁଧା ଉପଭୋଗ୍ୟ ହେବ ଅମରେ । ୫ ।

 

ଗ୍ରୀଷ୍ମପ୍ରଭାତରେ ବର୍ଷା

 

ଗ୍ରୀଷ୍ମ ପ୍ରାତେ ଦିନେ            ଶଯ୍ୟାରୁ ଉଠିଣ

ବସିଲି ଦାଣ୍ତପିଣ୍ତାରେ,

ଝାଇଁ ଝାଇଁ ହୋଇ            ମେଘ ବରଷୁଛି

ଚଡ଼କ ଘନେ ହୁଙ୍କାରେ ।

 

ସାଇଁ ସାଇଁ ସ୍ୱନେ            ବହୁଛି ପବନ

ଥରୁଅଛି ଦେହ ଶୀତେ,

ବସିଣ ଏକାଳେ            ପ୍ରକୃତିର ଶୋଭା

ନିରେଖିଲି ଏକଚିତ୍ତେ ।

 

ଲାଗିଛି କି ଅବା             ଧରଣୀ ସହିତେ

ବାସବର ଘୋର ରଣ,

ଟପଟପେ ଗଳି-            ଯାଏ କି ଭୂମିରେ

ଜଳଧାରା-ବାଣଗଣ ।

 

ବେଳେ ବେଳେ ଘନେ       ବିଜୁଳି ହାବେଳୀ

ଚହଟାଏ ନଭସ୍ଥଳୀ,

ବିଜୁଳି ନୁହେଁ ସେ             ବାଣ ଘରଷଣେ

ଉଠୁଅଛି ଅଗ୍ନି ଜଳି ।

 

ଜଳସ୍ରୋତ ବ୍ୟାଜେ      ଶୋଣିତ ଧାରା କି

ବହେ ପୃଥ୍ୱୀଦେବୀ ଦେହୁଁ,

ସର୍ବଂସହା ହେତୁ             ନୀରବେ ଏ କଷ୍ଟ

ସହ୍ୟ କରନ୍ତି କି ସେହୁ ।

 

କଣଭୁଆସୁଣୀ            ପରି ତରୁଲତା

ପ୍ରାତୁ କରିଛନ୍ତି ସ୍ନାନ

ପବନ ହିଲ୍ଲୋଳେ            ମୃଦୁ ମୃଦୁ ପୁଣି

ହେଉଛନ୍ତି କମ୍ପମାନ ।

 

ମୁଣ୍ତ ହଲାଇ ବା             ନାହିଁ କରୁଛନ୍ତି

ଘନକୁ ନ କହି ବାଣୀ

ଘୋର ଶୀତେ ତନୁ       ଥରିଯାଉଅଛି

ଆଉ ତୁ ନ ଢାଳ ପାଣି ।

 

ଦାଣ୍ତେ ଶତଧାରେ            ବହିଯାଏ ପାଣି

କରି କୁଳୁକୁଳୁ ଶବ୍ଦ,

କାହିଁ ସୃଜି ତୀର୍ଥ             ତ୍ରିବେଣୀ କାହିଁ ବା

ବିସୃଜିଣ ପଞ୍ଚନଦ ।

 

କୁଞ୍ଚିତ ଗତିରେ             ଝିରିଝିରି ହୋଇ

ବହିଯାଏ ସ୍ରୋତଜାଳ,

ଘନ-ଗାରୁଡ଼ିଆ            ଖେଳାଉଅଛି କି

ମାଳମାଳ କାଳବ୍ୟାଳ ।

 

ଘୋରଘନଘଟା            ରଖିଅଛି କରି

ଦିଗ୍‌ବଧୂ ମୁଖ ଆଚ୍ଛନ୍ନ,

ଦିଗଙ୍ଗନାଗଣ            ଟାଣିଆଣିଲେ କି

ତଳକୁ ଅବଗୁଣ୍ଠନ ।

 

ନୀରବ ନିସ୍ତବ୍‌ଧ             ଏକାଳରେ ସୃଷ୍ଟି

ପ୍ରାତଃରାବୀ ପକ୍ଷିକୁଳ,

ନୀରବେ ଅଛନ୍ତି             ଦୁର୍ଦ୍ଦିନେ ନିରେଖି

ହୋଇ ଘୋର ଚିନ୍ତାକୁଳ ।

 

ବର୍ଷାଜଳେ ବେନି-            ପକ୍ଷ ତିନ୍ତିଯାଇ

ହୋଇଅଛି ସଡ଼ସଡ଼,

କେବେ ଅବା ଦେହ            ଝାଡ଼ିଦେଉଛନ୍ତି

ଡେଣା କରି ଫଡ଼ଫଡ଼ ।

 

ସବୁ ପକ୍ଷୀ ମଧ୍ୟେ             ପେଟବିକଳିଆ

ଅଧିକେ ଅଟଇ କାଉ,

ଉଦର ଜ୍ୱାଳାରେ            ଅତି ଆତୁରେ ସେ

ହେଉଅଛି ରାଉ ରାଉ ।

 

ହିମାଳିଆ ପାଗେ             ଅଧିକ ଶୋଇଲେ

ମଠୁଆ ଅଫିମୀ ଲୋକେ,

ଗାମୁଛା ଘୋଡ଼ିଣ            ପିଣ୍ତାରେ ବସିଲେ

ଚଞ୍ଚଳିଆ ଲୋକେ ଥୋକେ ।

 

ଅଦିନ ବରଷା             ନୂଆପାଣି ପାଇ

ଆନନ୍ଦେ ଭେକନିକରେ,

ଘନ ଘନଘନ            ଜୟଗୀତି ଉଚ୍ଚେ

ଗାଇଲେ ଧୈବତ ସ୍ୱରେ ।

 

ଦୋହାରି ଧଇଲେ            ସେ ଗୀତକୁ ପୁଣି

ଚାତକ, କେକୀ, ଡାହୁକେ

ମାତିଛନ୍ତି ସିନା             ବୃଥା ଏ ଅବୋଧେ

ଭ୍ରମେ କ୍ଷଣସ୍ଥାୟୀ ସୁଖେ ।

 

ଅକାଳ ମେଘ ଏ             ଛାଡ଼ିଯିବ ଖରେ

ଦିନମଣି ଉଦେ ହେଲେ,

ଆତ୍ମ-ବିସ୍ମୃତିର             ଏ ସୁଖ-ସଙ୍ଗୀତ

କାହିଁ ଥିବ ତେତେବେଳେ ।